କବିସୂର୍ଯ୍ୟନଗର: ସାମ୍ବାଦିକତାର ଦାୟିତ୍ୱ ଓ ସାମାଜିକ ସଚେତନତାକୁ କେନ୍ଦ୍ର କରି କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୯ଶ ବାର୍ଷିକୋତ୍ସବ ସ୍ଥାନୀୟ କନକ ମଞ୍ଜରୀ ପାଠାଗାର ଠାରେ ଗରିମାମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବ ସଭାପତି ସମରଜିତ୍ ମହାନ୍ତି ସଭାପତିତ୍ୱ କରିଥିବାବେଳେ ସାଧାରଣ ସମ୍ପାଦକ ସପ୍ନେଶ୍ୱର ପାଣିଗ୍ରାହୀ ସମ୍ପାଦକୀୟ ପାଠ କରି ଅତିଥିମାନଙ୍କୁ ପରିଚୟ କରାଇଥିଲେ।
“ଦୁର୍ନୀତି ହିଁ ବିକାଶର ସର୍ବବୃହତ ବାଧକ”
ମୁଖ୍ୟ ଅତିଥି ପୂର୍ବତନ ନଗରପାଳ ମନୋରଞ୍ଜନ ମହାପାତ୍ର ଦୁର୍ନୀତିକୁ ବିକାଶର ମୁଖ୍ୟ ବାଧକ ବୋଲି ଅଭିହିତ କରିଥିଲେ। ବିଇଓ ଅଭିମନ୍ୟୁ ସାହୁ, ଯୁବ ବିଜେଡି ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ଯୋଗୀ ଚରଣ ମିଶ୍ର ମଧ୍ୟ ଏହି ଆଲୋଚନାରେ ମତ ରଖିଥିଲେ। ମୁଖ୍ୟ ବକ୍ତା ‘ସମଦୃଷ୍ଟି’ ପତ୍ରିକାର କାର୍ଯ୍ୟନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁ କହିଥିଲେ— “ଦୁର୍ନୀତି ଏବେ କେବଳ ଅଭିଯୋଗ ନୁହେଁ, ଏକ ବ୍ୟବସ୍ଥାଗତ ସମସ୍ୟା ହୋଇପଡ଼ିଛି।” ସମ୍ମାନିତ ବକ୍ତା ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ଆରଟିଆଇ ଆଇନର ସଙ୍କୋଚନ ଓ ପ୍ରାକୃତିକ ସମ୍ପଦ ଲୁଟ ଉପରେ ଗଭୀର ଚିନ୍ତା ପ୍ରକାଶ କରିଥିଲେ।
ବକ୍ତାମାନେ କହିଥିଲେ ଯେ ଦୁର୍ନୀତି ବିରୋଧରେ ସ୍ୱର ଉଠାଇଲେ ସାମ୍ବାଦିକ ଓ ସାମାଜିକ କର୍ମୀମାନେ ଆଜି ବିପଦର ସମ୍ମୁଖୀନ। ତଥାପି ସତ୍ୟକୁ ଲୁଚାଇ ରଖିହେବ ନାହିଁ ବୋଲି ମତ ପ୍ରକାଶ ପାଇଥିଲା। ଦୁର୍ନୀତି ନିବାରଣ ପାଇଁ କେବଳ ଆଇନ ନୁହେଁ, ସାଧାରଣ ନାଗରିକଙ୍କ ସଚେତନତା ଓ ମାନସିକ ପରିବର୍ତ୍ତନ ଅତ୍ୟାବଶ୍ୟକ ବୋଲି ସମସ୍ତ ବକ୍ତା ଏକମତ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବର ଉପସଭାପତି ସରୋଜ କୁମାର ମିଶ୍ରଙ୍କ ସହ ସାମ୍ବାଦିକ ଉମା ଚରଣ ପଟ୍ଟନାୟକ, ବିବେକାନନ୍ଦ ସାହୁ, ସୁଶାନ୍ତ କୁମାର ପଟ୍ଟନାୟକ, ସନ୍ତୋଷ କୁମାର ପଣ୍ଡା, ଟି. ଶରତ କୁମାର ସୁବୁଦ୍ଧି, ସୂର୍ଯ୍ୟନାରାୟଣ ବଡୁ, ଗୁଲସନ କୁମାର କର, ରଞ୍ଜିତ କୁମାର ପୋଲେଇ ଓ ପିପିଟି ସଭାପତି ଦେବସ୍ମିତା ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Post a Comment