ମଦ ଦୋକାନୀକୁ ପୁରସ୍କାର ସୁପାରିଶକୁ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚର ବିରୋଧ



ଗଞ୍ଜାମ:(Star Odisha)ଅଧିକ ରାଜସ୍ବ ଆଦାୟ ଲକ୍ଷ୍ୟରେ ନିକଟରେ ବିଧାନସଭା ଗୃହ କମିଟି ନିଷ୍ପତ୍ତି ନେଇଛି ଯେଉଁ ଲାଇସେନ୍ସ ପ୍ରାପ୍ତ ଧାରୀ ମଦ ଦୋକାନୀ ମାନେ ଧାର୍ଯ୍ୟ ଲକ୍ଷ୍ୟ କିମ୍ବା ତାଠାରୁ ଅଧିକ ମଦ ବିକ୍ରି କରୁଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ।  ଅଧିକ ରାଜସ୍ବ ଆଦାୟ ପାଇଁ ଭାରତ ତିଆରି ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ବିଧାନସଭା ଗୃହ କମିଟି ସୁପାରିସ କରିବା ପରେ ଏବେ ସାରା ରାଜ୍ୟରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ପକ୍ଷରୁ ସରକାର ତଥା ଗୃହ କମିଟିର ନିଷ୍ପତ୍ତିକୁ କଡା ନିନ୍ଦା କରାଯାଇଛି।

ଓଡିଶାରେ ପ୍ରାକୃତିକ ସମ୍ପଦ ଭରପୁର ଥିବା ବେଳେ ଏହାର ସଦୁପଯୋଗ ହୋଇ ପାରୁନି। ଅଧିକ ପୁଞ୍ଜି ନିବେଶ ନହେବା ଫଳରେ ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଅଧିକ ରାଜସ୍ବ ଆଦାୟ କରିବା ପାଇଁ ଜନସାଧାରଣଙ୍କୁ ଜହର ଦେଇ ସରକାର ମାରିଦେବାକୁ ଯୋଜନା କରୁଛନ୍ତି ବୋଲି କୁହାଯାଇଛି। ଗୋଟିଏ ପଟେ ସ୍ବୟଂସହାୟିକା ଗୋଷ୍ଠୀ ମାନଙ୍କୁ ମଦ ବିରୋଧୀ ଅଭିଯାନ ପାଇଁ କୁହାଯିବା ଏବଂ ଅନ୍ୟ ପଟରେ ମଦ କାରବାର ପାଇଁ ପ୍ରୋତ୍ସାହନ ଦେବା ସରକାରଙ୍କ ଗୁଣିଆ ହୋଇ ଲାଗିବା ଏବଂ ଡାହାଣୀ ହୋଇ ଝାଡିବା ନୀତିକୁ ବୁଝାଉଥିବା ମଞ୍ଚର ବ୍ଲକ ସଭାପତି ସୁଶାନ୍ତ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି। ଗାଁ ଗାଁ ରେ ଏବେ ମହିଳା ମାନେ ଜାଗିଛନ୍ତି ଏବଂ ମଦ ବିକ୍ରିକୁ ବିରୋଧ କରି ମଦୁଆକୁ ସାବାଡ୍ କରିବା ସହ ସଚେତନତା ସୃଷ୍ଟି କରୁଛନ୍ତି। ମଦ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ଏବଂ ପରିବାରରେ ଅଶାନ୍ତି ସୃଷ୍ଟି, ହତ୍ଯା,ଧର୍ଷଣ, ଲୁଟ୍, ଡକାୟତି, ରାହାଜାନି ଭଳି ଘଟଣା ପଛରେ ମଦ ଏକ ପ୍ରକାର ଖୋରାକ ଯୋଗାଉଛି। ଏହାକୁ ସଂପୂର୍ଣ୍ଣ ବନ୍ଦ କରିବା ପରିବର୍ତ୍ତେ ସରକାର ମଦ ଦୋକାନୀକୁ ପୁରସ୍କାର ଦେବା ଓ ଅଧିକ ମଦ ଦୋକାନ ବୃଦ୍ଧି କରିବା ଦୁର୍ଭାଗ୍ୟ ଜନକ ଘଟଣା ଏବଂ ଏହିଭଳି ସୁପାରିଶ ଉପରେ ପୁନର୍ବାର ବିଚାର କରି ରଦ୍ଦ କରାଯିବାକୁ ଦାବି କରିଛି ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ।

0/Post a Comment/Comments