ଜାଲ୍ ସାର୍ଟିଫିକେଟଧାରୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ କେବେ ହେବ ତଦନ୍ତ?



ଗଞ୍ଜାମ : ରାଜ୍ୟରେ ଜାଲ୍ ପ୍ରମାଣପତ୍ର ବଳରେ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିବାରୁ ନିକଟରେ ଶିକ୍ଷା ବିଭାଗ ପକ୍ଷରୁ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସାର୍ଟିଫିକେଟ ଜାଞ୍ଚ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରତି ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀକଂ ତତ୍ବାବଧାନରେ ଜାଞ୍ଚ୍ କରାଯାଇ ରିପୋର୍ଟ ଦେବାକୁ କୁହାଯାଇଥିଲା। କିନ୍ତୁ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ଏହି ଜାଞ୍ଚ୍ ପ୍ରକ୍ରିୟା ଧିମେଇ ଥିବା ଦେଖିବାକୁ ମିଳିଛି। ଅନ୍ଯ ବ୍ଲକ ତୁଳନାରେ ଏଠାରେ ମନ୍ଥର ଗତିରେ କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି। ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସେମାନଙ୍କ ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ସହିତ ବାହାର ରାଜ୍ୟର ବିଶ୍ବବିଦ୍ୟାଳୟ ଗୁଡିକରୁ ଆସିଥିବା ସାର୍ଟିଫିକେଟ ଗୁଡିକ ଓଡିଶାର ବିଶ୍ବବିଦ୍ୟାଳୟ ସହିତ ଅନୁବନ୍ଧିତ ଅଛି କି ନାହିଁ ତାର କ୍ଲିଅରାନ୍ସ ମଧ୍ୟ ମଗା ଯାଉଛି। କିନ୍ତୁ ଏଯାବତ୍ କୌଣସି ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀ ଧରା ପଡି ନାହାନ୍ତି। ଯାହାକୁ ନେଇ ପ୍ରଶ୍ନ ଉଠାଇଛି ଗଂଜାମ ଜିଲ୍ଲା  ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟ୍ ବ୍ଲକ୍ ଏବଂ ଅଲ୍ ଇଣ୍ଡିଆ ୟୁଥ୍ ଲିଗ୍। ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଘଟଣାର ସଠିକ୍ ଭାବେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଡିଇଓ ଓ ଡିପିସି ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି କରାଯିବ ବୋଲି ସଂଗଠନର ସଂପାଦକ ସମରଜିତ୍ ମହାନ୍ତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

 ଅତୀତରେ ବେଗୁନିଆପଡ଼ା ବ୍ଳକ ସମେତ ଜିଲ୍ଲାର ବହୁ ବ୍ଲକର ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୂଚନା ତଥ୍ଯ ଆଧାରରେ ଚିହ୍ନଟ କରାଯାଇଛି ଏବଂ ସମସ୍ତ ତଥ୍ୟ ପ୍ରମାଣ ସହିତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳ, ଶିକ୍ଷା ସଚିବ, ଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଯାହାକୁ ନେଇ ଶ୍ରୀ ମହାନ୍ତି ଚିନ୍ତା ପ୍ରକଟ କରିବା ସହ ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ବିଭାଗରେ ବଡ଼ ଧରଣର ଡିଲ୍ ଚାଲିଥିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଯଦି ବିଭାଗର ବାସ୍ତବରେ ଆନ୍ତରିକତା ଅଛି ତେବେ ବାରମ୍ବାର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସାର୍ଟିଫିକେଟ ମାଗିବା ପରିବର୍ତ୍ତେ ନିଯୁକ୍ତି ସମୟରେ ସେମାନେ ଦାଖଲ କରିଥିବା ପ୍ରମାଣ ପତ୍ରକୁ ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ, ବ୍ଲକରେ ବହୁ ବରିଷ୍ଠ ଓ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ମାର୍କସିଟ କୁ ଟେମ୍ପରିଗଂ କରି ବିଏଡ୍ ରେ ନାମ ଲେଖାଇଥିବା, ଆଉ କିଛି ମିଥ୍ଯା ସାର୍ଟିଫିକେଟ ପ୍ରଦାନ କରିଥିବା ଭଳି ସାଂଘାତିକ ଘଟଣା ଜଣାପଡିଛି। ଆବଶ୍ୟକ ହେଲେ ଏନେଇ ମାନ୍ଯବର ଉଚ୍ଚ ନ୍ୟାୟାଳୟକଂ ନିକଟରେ ମାମଲା ରୁଜୁ କରାଯିବ ବୋଲି ଶ୍ରୀ ମହାନ୍ତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

0/Post a Comment/Comments