ଆଜି ସାବିତ୍ରୀ ଅମାବାସ୍ୟା,ଓଡ଼ିଆ ଘରର ବୋହୂ ପାଳିବେ ବ୍ରତ


ଆଜି ସାବିତ୍ରୀ ଅମାବାସ୍ୟା । ଓଡିଆ ଘରର ପରମ୍ପରା ଅନୁସାରେ ବିବାହିତା ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳନ କରିଥାନ୍ତି । ପ୍ରତିବର୍ଷ ଏହି ଦିନକୁ ବଡ଼ ଉତ୍ସାହର ସହ ହିନ୍ଦୁ ମହିଳାମାନେ ଅପେକ୍ଷା କରିଥାନ୍ତି । ପରମ୍ପରା ମୁତାବକ ନୂଆ ଶାଢ଼ୀ, ଚୁଡ଼ି, ଫଳମୂଳ, ପୂଜା ସାମଗ୍ରୀ ଧରି କିଏ ମନ୍ଦିର ଯାଆନ୍ତି ତ ଆଉ କିଏ ଘରେ ପୂଜାର୍ଚ୍ଚନା କରନ୍ତି । ହେଲେ ଏବର୍ଷ ଲକ୍ ଡାଉନ୍ ଯୋଗୁଁ ମନ୍ଦିରରେ ପ୍ରବେଶ ନଥିବାରୁ ନିରାଡମ୍ବର ଭାବେ ବ୍ରତ ପାଳିବେ ମହିଳା ।
ପୁରାଣ କହେ, ସାବିତ୍ରୀ ଜଣେ ସତୀ, ସାଧ୍ବୀ ନାରୀ, ଯିଏ ନିଜ ସତୀତ୍ବ ବଳରେ ସ୍ବାମୀର ଅକଳା ମୃତ୍ୟୁ ଟାଳିଦେଇ ଶତପୁତ୍ରର ଜନନୀ ହେବା ପାଇଁ ଯମରାଜାଙ୍କଠାରୁ ବର ପାଇଥିଲେ । ସ୍ବାମୀଙ୍କ ଲାଗି ଜୀବନର ସମସ୍ତ କଷ୍ଟକୁ ବରଣ କରିନେଇଥିଲେ । ଆଉ ଏଇ ପରମ୍ପରାକୁ ମନେ ପକାଇ ଆଜି ବି ପ୍ରତ୍ୟେକ ଓଡ଼ିଆ ଘରେ ବିବାହିତ ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଶ୍ରଦ୍ଧାର ସହ ପାଳନ କରିଥାନ୍ତି ସାବିତ୍ରୀ ବ୍ରତ । ମନ୍ଦିର ଯାଇ ଦିଅଁ ଆରାଧନା କରନ୍ତି । ହେଲେ ଚଳିତ ବର୍ଷ ଲକ୍ ଡାଉନ୍ ଯୋଗୁଁ ମନ୍ଦିର ଯିବା ତ ସମ୍ଭବ ହେବନି । ସେଥିପାଇଁ ତ ଯାଜପୁରର ବିରଜା ମନ୍ଦିରଠାରୁ ଜଗତସିଂହପୁରର, ଭଦ୍ରକର ବିଭିନ୍ନ ମନ୍ଦିରରେ ୧୪୪ ଧାରା ଜାରି ହୋଇଛି । ତେଣୁ ନିଶ୍ଚିତ ଭାବେ ନିରାଡମ୍ବର ଭାବେ ଏଥର ସାବିତ୍ରୀ ପାଳିବେ ମହିଳା ।

ମନ୍ଦିର ନଗଲେ ବି ଘରେ ଘରେ ଦେଖିବାକୁ ମିଳିବ ଏହି ସଂସ୍କୃତି ଓ ପରମ୍ପରାର ଝଲକ । ଘରକୁ ବ୍ରାହ୍ମଣ ଡକାଇ ମହିଳାମାନେ ବ୍ରତ ପାଳିବେ । ସେହିପରି ଆପାର୍ଟମେଣ୍ଟ ବା ସୋସାଇଟିରେ ରହୁଥିବା ମହିଳାମାନେ ମଧ୍ୟ ସାମାଜିକ ଦୂରତ୍ବ ରଖି ଗୋଟିଏ ସ୍ଥାନରେ ବ୍ରତ ପାଳିବେ ।

0/Post a Comment/Comments