ସଂଘରୋଧ ଗୃହରେ ନିମ୍ନମାନର ଖାଦ୍ୟକୁ ନେଇ ପୁଣି ତାତିଲେ ପ୍ରବାସୀ
ଗଞ୍ଜାମ :ସଂଗରୋଧ ଗୃହରେ ନିମ୍ନ ମାନର ଖାଦ୍ୟକୁ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ସୁଧା ଗଂଜାମ ଜିଲ୍ଲା କୋଦଳା ପ୍ରଶାସନ ପକ୍ଷରୁ ଆଖି ଦୃଶିଆ ପଦକ୍ଷେପ ନିଆନଯିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୋଦଳା ଏନଏସି ଅନ୍ତର୍ଗତ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ସ୍ୱରସ୍ୱତୀ ଶିଶୁମନ୍ଦିର ସଂଘରୋଧ ଗୃହରୁ ପୂର୍ବରୁ ଏଭଳି ଅଭିଯୋଗର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇ ସାରିଥିବା ବେଳେ ଏବେ ପୁଣି ଶିଶୁ ମନ୍ଦିର ସଂଘରୋଧ ଗୃହରୁ ଆସିଛି ଅଭିଯୋଗ। ନିମ୍ନମାନର ଖାଦ୍ୟକୁ ନେଇ ଶନିବାର ପ୍ରବାସୀ ମାନେ ପ୍ରତିବାଦ କରିବା ପରେ ପରିସ୍ଥିତି ଉତ୍ତେଜନା ପ୍ରକାଶ ପାଇବାରୁ ସ୍ଥାନୀୟ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପହଞ୍ଚି ପ୍ରବାସୀ ମାନଙ୍କୁ ବୁଝାସୁଝା କରିବା ସହ ଖାଦ୍ୟ ଦେଉଥିବା ଠିକାଦାରଙ୍କୁ ତାଗିଦ୍ କରିଥିଲେ ।ଏପରିକି ନିମ୍ନ ଖାଦ୍ୟର ମାନ ଅତି କଦର୍ଯ୍ୟ ଥିବା ଦେଖି ଠିକାଦାରଙ୍କୁ ନିଜେ ଖାଇକି ଦେଖ ବୋଲି କହିଥିଲେ। ସରକାର ପାଇଁ ଯେଉଁ ଖାଦ୍ୟ ତାଲିକା ଧାର୍ଯ୍ୟ କରିଛନ୍ତି ତାହା ମିଳୁନଥିବା ଏବଂ ବାସି ଖାଦ୍ୟ ପରିବେଷଣ ନେଇ ଅନ୍ତେବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ସରକାର ଉଚିତ୍ ଅର୍ଥ ଦେଉଥିବା ବେଳେ କୋଦଳା ଏନ୍ ଏ ସି ପକ୍ଷରୁ ଦଲାଲ ଠିକା ନେଇ ଏଭଳି ନିମ୍ନ ମାନର ଖାଦ୍ୟ ପରିବେଷଣ କରୁଥିବା ଅଭିଯୋଗ ହୋଇଛି। ତେବେ ଏଭଳି ଅଭିଯୋଗ ଏବେ କୋଦଳା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କାରଣ ତିନି ତିନି ଥର ଏଭଳି ଅଭିଯୋଗ ଆଣିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ ଚୁପ୍ କାହିଁକି ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପ୍ରଶାସନ ଓ ଠିକାଦାର ମଧ୍ୟରେ ବୁଝାମଣା ହୋଇ ପ୍ରବାସୀଙ୍କ ଖାଇବା ଅର୍ଥ ହଡ଼ପ କରାଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।ଅପରପକ୍ଷେ କୋଦଳା ଏନଏସିକୁ ଜିଲ୍ଲା ସ୍ତରୀୟ ଅଧିକାରୀ ଆସି ନିରୀକ୍ଷଣ କରୁଥିଲେ ସୁଦ୍ଧା ଏନେଇ କାହିଁକି ଠୋସ୍ ପଦକ୍ଷେପ ନିଆ ଯାଉନି ତାକୁ ନେଇ ଉଠିଛି ପ୍ରଶ୍ନ । ଗଂଜାମ ଜିଲ୍ଲାପାଳ ପ୍ରତ୍ଯକ୍ଷ ଭାବରେ ଏଥିରେ ହସ୍ତକ୍ଷେପ ନ କଲେ ସ୍ଥିତି ବିଗିଡ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ମତପ୍ରକାଶ ପାଇଛି।

Post a Comment