କ୍ୱାରେଣ୍ଟାଇନ ସେଣ୍ଟରରେ ଅବ୍ଯବସ୍ଥା ନେଇ ବାରମ୍ବାର ଅଭିଯୋଗ: ଫଳ ଶୂନ


କୋଦଳା:  ସାରା ରାଜ୍ୟରେ କରୋନାକୁ ନେଇ ଲକ୍ ଡାଉନ୍ ଜାରି ରହିଥିବା ବେଳେ ପ୍ରବାସୀ ଓଡିଆଙ୍କୁ ଫେରାଇ ଅଣାଯାଇ ସଂଘରୋଧ ଗୃହରେ ରଖା ଯାଉଛି ।ଗଂଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ମୋଟ ୯ଟି ସଂଘରୋଧ ଗୃହ କରାଯାଇଛି ଏବଂ ପ୍ରବାସୀ ମାନଙ୍କୁ ଏଠି ରଖାଯାଉଛି।ତେବେ ବର୍ତମାନ ୪ ଟି ସଂଘରୋଧ ଗୃହରେ ପ୍ରବାସୀ ମାନେ ଥିବା ଜଣାପଡ଼ିଛି। ଶିଶୁ ମନ୍ଦିର ସଂଘରୋଧ ଗୃହରେ ୧୧୯ ଅନ୍ତେବାସୀ ରହିଥିବା ବେଳେ ସ୍ବର୍ଣ୍ଣମୟୀ ହାଇସ୍କୁଲରେ ୧୪୫ ଜଣ, ନୋଡ଼ାଲ ବାଳିକା ଉଚ୍ଚ ବିଦ୍ୟାଳୟରେ ୫୫ ଜଣ ଓ ଖରୁଡା ସାହି ୟୁ ପି ସ୍କୁଲ୍ ରେ ୨ ଜଣ ପ୍ରବାସୀ ରହିଛନ୍ତି। ଏତଦବ୍ୟତୀତ ଏନ୍ଏସି ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ଡିଗ୍ରୀ କଲେଜ, ବେଲପଡ଼ା ପ୍ରାଥମିକ ବିଦ୍ୟାଳୟ, ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ, ବି ନୂଆଁ ଗାଁ ପ୍ରାଥମିକ ବିଦ୍ୟାଳୟ, କଲ୍ଯାଣ ମଣ୍ଡପ ସଂଘରୋଧ ଗୃହ କରାଯାଇଥିବା ବେଳେ ଏବେ ସେଠାରୁ ପ୍ରବାସୀ ମାନେ ଘର ବାହୁଡ଼ା ହୋଇ ସାରିଛନ୍ତି। ଆରମ୍ଭରୁ ସଂଘରୋଧ ଗୃହରେ ଅବ୍ଯବସ୍ଥାକୁ ନେଇ ଅନ୍ତେବାସୀ ମାନେ ଅସନ୍ତୋଷ ବ୍ଯକ୍ତ କରିଥିଲେ ଏବଂ ବିଭିନ୍ନ ସଂଘରୋଧ ଗୃହରୁ ଏଭଳି ଅବ୍ଯବସ୍ଥା ନେଇ ଅଭିଯୋଗର ତାଲିକା ଲମ୍ବା ହୋଇ ଯାଇଛି। ନିମ୍ନ ମାନର ଖାଦ୍ୟ, ପାନୀୟ ଜଳ ଭଳି ସମସ୍ଯାକୁ ନେଇ ଅନ୍ତେବାସୀ ମାନେ ପ୍ରତିବାଦ କରିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିନି। ଏନ୍ଏସି ଅନ୍ତର୍ଗତ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ସ୍ୱରସ୍ୱତୀ ଶିଶୁମନ୍ଦିର ସଂଘରୋଧ ଗୃହରୁ ଏଭଳି ଅଭିଯୋଗର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇ ସାରିଥିବା ବେଳେ  ଶିଶୁ ମନ୍ଦିର  ସଂଘରୋଧ ଗୃହରୁ ମଧ୍ୟ ସମାନ ଅଭିଯୋଗ ଆସିଥିଲା। ନିମ୍ନମାନର ଖାଦ୍ୟକୁ ନେଇ  ପ୍ରବାସୀ ମାନେ ପ୍ରତିବାଦ କରିବା ପରେ ପରିସ୍ଥିତି ଉତ୍ତେଜନା ପ୍ରକାଶ ପାଇବାରୁ ସ୍ଥାନୀୟ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପହଞ୍ଚି ପ୍ରବାସୀ ମାନଙ୍କୁ ବୁଝାସୁଝା କରିବା ସହ ଖାଦ୍ୟ ଦେଉଥିବା ଠିକାଦାରଙ୍କୁ ତାଗିଦ୍ କରିଥିଲେ ।ଏପରିକି ନିମ୍ନ ଖାଦ୍ୟର ମାନ ଅତି କଦର୍ଯ୍ୟ ଥିବା ଦେଖି ଠିକାଦାରଙ୍କୁ ନିଜେ ଖାଇକି ଦେଖ ବୋଲି କହିଥିଲେ। ସରକାର ପାଇଁ ଯେଉଁ ଖାଦ୍ୟ ତାଲିକା ଧାର୍ଯ୍ୟ କରିଛନ୍ତି ତାହା ମିଳୁନଥିବା ଏବଂ ବାସି ଖାଦ୍ୟ ପରିବେଷଣ ନେଇ ଅନ୍ତେବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ସରକାର ଉଚିତ୍ ଅର୍ଥ ଦେଉଥିବା ବେଳେ କୋଦଳା ଏନ୍ ଏ ସି ପକ୍ଷରୁ ନିର୍ଦ୍ଧିଷ୍ଟ ଜଣେ ଦଲାଲ ଠିକା ନେଇ ଏଭଳି ନିମ୍ନ ମାନର ଖାଦ୍ୟ ପରିବେଷଣ କରୁଥିବା ଅଭିଯୋଗ ହୋଇଛି। ତେବେ ଏଭଳି ଅଭିଯୋଗ ଏବେ କୋଦଳା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କାରଣ ତିନି ତିନି ଥର ଏଭଳି ଅଭିଯୋଗ ଆଣିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ ଚୁପ୍ କାହିଁକି ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

0/Post a Comment/Comments