କରୋନା ପାଇଁ ସମସ୍ତ ରାସ୍ତାକୁ ସିଲ୍ କଲା କୋଦଳା ପୋଲିସ
କୋଦଳା: କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ସମଗ୍ର ଜିଲ୍ଲାରେ ଗାଡି ମୋଟର ବନ୍ଦ ନିମନ୍ତେ ଟ୍ଵିଟ କରି ଜଣାଇଥିଲେ। ଏହାକୁ ନେଇ ଗଞ୍ଜାମ ଏସପିଙ୍କ ନିର୍ଦେଶ କ୍ରମେ କୋଦଳା ଥାନା ଆଇଆଇସି ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ ଏସଆଇ ଆରତୀ ପରିଡା,ଅନିଲ କୁମାର ସାହୁ,ଏଏସଆଇ ମହେଶ୍ଵର ବେହେରା, ଏସ ଭାସ୍କର ରାଓଙ୍କ ସମେତ ପ୍ରଶାନ୍ତ ରେଡ୍ଡୀ ଓ ସମସ୍ତ ପୋଲିସ କର୍ମଚାରୀମାନେ ନିୟୋଜିତ ହୋଇ ସମସ୍ତ ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ସିଲ୍ କରିଛନ୍ତି। ଏଥି ସହିତ କୋଦଳା, ମଠସରସିଙ୍ଗି, ସବଜେଲ୍ ରୋଡ଼, ବାଦପଲ୍ଲୀ,ଫାସୀ, ଦିଗାପଡା ରୋଡ଼ ଓ କଞ୍ଚଣା ସମେତ ପ୍ରତି ଛକ ମାନଙ୍କରେ ବାଉଁଶ ପୋତାଯାଇ ବ୍ୟାରିକେଟ ନିର୍ମାଣ କରାଯାଇଛି।ଏବଂ ସମସ୍ତ ବାଇକ ଏବଂ କାର ଗୁଡିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି।
କେବଳ ଜରୁରିକାଳୀନ କର୍ମଚାରୀ,ବ୍ୟାଙ୍କ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଓ ଗଣମାଧ୍ୟମ କର୍ମୀ ମାନଙ୍କୁ ସେମାନଙ୍କ ଆଇ କାର୍ଡ଼ ଦେଖାଇ ଛଡା ଯାଉଛି। ଏତତ୍ ବ୍ୟତୀତ ଯେଉଁମାନେ ଅମାନିଆ ଭବରେ କୌଣସି କାର୍ଯ୍ୟ ନଥାଇ ଘରୁ ବାହାରିଛନ୍ତି ସେମାନଙ୍କ ଠାରୁ ଫାଇନ ଆଦାୟ କରାଯିବା ସହ ପୁଣି ଘରୁ ନ ବାହାରିବା ପାଇଁ ତାଗିଦ କରାଯାଇଛି। ଅନ୍ୟପକ୍ଷରେ ଥାନାଧିକାରୀମାନେ ସେମାନଙ୍କ ଅଞ୍ଚଳରେ ଦିନତମାମ ପାଟ୍ରୋଲିଂ କରୁଛନ୍ତି। ଯେଉଁଠି ଲୋକମାନେ ରୁଣ୍ଡ ହେଉଥିବା ଦେଖିବାକୁ ମିଳୁଛି, ସେମାନଙ୍କୁ ଘଉଡ଼ାଇବା ସହ କଡ଼ା ଚେତାବନୀ ଦିଆଯାଉଛି।


Post a Comment