ଭୁବନେଶ୍ୱର,(Star Odisha) : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ୨୦୨୪ ସୋମବାରଠାରୁ ଆରମ୍ଭ ହେବ। ସିବିଟି ମୋଡ୍ରେ ହେବାକୁ ଥିବା ଏହି ପରୀକ୍ଷା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ତିନୋଟି ସିଫ୍ଟରେ ଦୁଇଘଣ୍ଟା ବ୍ୟବଧାନରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ସକାଳ ୮ଟା ୩୦ରୁ ୧୦ଟା ୩୦, ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧୨ଟା ୩୦ରୁ ୨ଟା ୩୦ ଏବଂ ତୃତୀୟ ସିଫ୍ଟ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ରହିଛି। ଏହି ପରୀକ୍ଷା ପାଇଁ ମୋଟ ୬୦ଟି ପରୀକ୍ଷା କେନ୍ଦ୍ର ହୋଇଛି। ଓଡ଼ିଶାରେ ୫୭ଟି କେନ୍ଦ୍ର ଥିବାବେଳେ ଏଥିମଧ୍ୟରୁ ଭୁବନେଶ୍ୱରରେ ସର୍ବାଧିକ ୧୧ଟି କେନ୍ଦ୍ର ରହିଛି। ଏହାବାଦ୍ ଓଡ଼ିଶା ବାହାରେ ତିନୋଟି ସହର ଯଥା କୋଲକାତା, ପାଟଣା, ରାଞ୍ଚତ୍ରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହି ପରୀକ୍ଷା ଦେବାକୁ ମୋଟ ୬୫,୭୪୨ଜଣ ଛାତ୍ରୀଛାତ୍ର ପଞ୍ଜୀକରଣ କରିଛନ୍ତି ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ୬ ତାରିଖ ସୋମବାର ଏଲ୍ଇ ଟେକ୍(ଡିପ୍ଲୋମା) ପାଇଁ ପ୍ରବେଶିକା ପରୀକ୍ଷା ଥିବାବେଳେ ୭ ତାରିଖରେ ଏଲ୍ଇ ଟେକ୍(ଡିପ୍ଲୋମା), ଇଣ୍ଟିଗ୍ରେଟେଡ ଏମ୍ବିଏ(ଏକଘଣ୍ଟା) ଏବଂ ଏଲ୍ଇ ଟେକ୍ ବିଏସ୍ସି(ଏକଘଣ୍ଟା)ର ପରୀକ୍ଷା ରହିଛି। ସେହିଭଳି ୮ ତାରିଖରେ ଏମ୍ବିଏ, ବି.କ୍ୟାଟ୍(ସିନେମାଟୋଗ୍ରାଫି/ସାଉଣ୍ଡ୍ ରେକର୍ଡିଂ ଏବଂ ଡିଜାଇନ-ଏକଘଣ୍ଟା) ଏବଂ ଏଲ୍ଇ ଫାର୍ମ(ଏକଘଣ୍ଟା) ପରୀକ୍ଷା ରହିଛି। ୯ରେ ବି.ଫାର୍ମ ପରୀକ୍ଷା ଥିବା ବେଳେ ୧୦ତାରିଖରେ ଏମ୍ସିଏ, ବି.କ୍ୟାଟ୍(ଫିଲ୍ମ ଏଡିଟିଙ୍ଗ-ଏକଘଣ୍ଟା), ଏମ୍.ଫାର୍ମ(ଏକଘଣ୍ଟା), ଏମ୍.ଆର୍କ, ଏମ୍.ପ୍ଲାନ ଏବଂ ଏମ୍.ଟେକ୍ ପାଇଁ ପ୍ରବେଶିକା ପରୀକ୍ଷା ରହିଛି।
STAR ODISHA MEDIA

Post a Comment