ଭୁବନେଶ୍ୱର(Star Odisha): ସାଧାରଣ ନିର୍ବାଚନ ପାଇଁ ଦ୍ୱିତୀୟ ଥର ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ନିର୍ବାଚନ ପ୍ରଚାର ପାଇଁ ୪ଟି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଯିବେ । ପୂର୍ବାହ୍ନରେ କୋରାପୁଟ ଓଏମପି ପଡ଼ିଆରେ ଜନସଭାରେ ଉଦବୋଧନ ଦେବେ । ଏହା ପରେ ନବରଙ୍ଗପୁର ମାଝିଗୁଡ଼ା ଗ୍ରାଉଣ୍ଡରେ ରହିଛି ନବୀନଙ୍କ ନିର୍ବାଚନୀ ରାଲି।
ଅପରାହ୍ଣରେ ରାୟଗଡ଼ା ଟିକିରି ମୁସୁରିପଲ୍ଲାର ଛକ ଠାରେ ସାଧାରଣ ସଭାରେ ଯୋଗ ଦେବେ । ଏହାପରେ ଗଜପତିର ପାରଳାଖେମୁଣ୍ଡି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧନ କରିବେ। ପ୍ରଥମ ପର୍ଯ୍ୟାୟରେ ଏହି ୪ଟି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ ।
ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ତାରିଖ ଅଳ୍ପ ଦିନ ବାକି ଥିବା ବେଳେ କଂଗ୍ରେସ, ବିଜେପି ଓ ବିଜେଡିର ହେଭିୱେଟ ନେତାମାନେ ନିଜ ନିଜର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରୁଛନ୍ତି। ଓଡ଼ିଶାରେ ଅଧିକ ସିଟ୍ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ନିର୍ବାଚନ ପ୍ରଚାର ପାଇଁ ଆଜି ଓଡ଼ିଶା ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିର ମାହୋଲ ସରଗରମ ରହିଛି। ବ୍ରହ୍ମପୁର ଓ ଆସିକା ଲୋକସଭା ଆସନ ସହିତ ଏହା ଅଧୀନରେ ଥିବା ସମସ୍ତ ବିଧାନସଭା ଆସନକୁ ବିଜେପି ଫୋକସ୍ କରୁଛି। ଏଠାରେ ଜିତିବା ସମ୍ଭାବନା ଥିବାରୁ ନଡ୍ଡାଙ୍କ ପରେ ମୋଦି ନିର୍ବାଚନ ପ୍ରଚାର ପାଇଁ ଆସୁଛନ୍ତି। ପୂର୍ବରୁ ଗତ ମେ ୨୮ରେ ସାଲେପୁର ଆସିଥିଲେ ରାହୁଲ । ରାହୁଲ ଗାନ୍ଧି ଓଡ଼ିଶା ଆସି ଓଡ଼ିଶା କଂଗ୍ରେସ ପାଇଁ ନିର୍ବାଚନୀ ବିଗୁଲ ଫୁଙ୍କିଥିଲେ।
ପୂର୍ବରୁ ହିଞ୍ଜିଳିରୁ ବିଧାନସଭା ଆସନରୁ ନାମାଙ୍କନପତ୍ର ଭରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଭାବେ ଭରିଥିଲେ ନାମାଙ୍କନ। ଏହି ଆସନରୁ ଲଗାତାର ପାଞ୍ଚ ଥର ନିର୍ବାଚିତ ହୋଇ ଆସିଛନ୍ତି ନବୀନ। ଚଳିତ ନିର୍ବାଚନରେ ନବୀନ ହିଞ୍ଜିଳି ବ୍ୟତୀତ କଣ୍ଟାବାଞ୍ଜିରୁ ବି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଉଭୟ ଆସନରେ ମେ ୨୦ ତାରିଖରେ ହେବ ମତଦାନ।
Source:otv

Post a Comment