ପଶ୍ଚାତାପ..

ଜୀବନର ଦୋଛକିରେ ଛିଡା ହୋଇଥିବା ମଣିଷ ଟିଏ ମୁଁ। ଯାହାର ଅତୀତ ରେ ଗୋଟିଏ ମାତ୍ର ନାଲି ଗାର। ନା ତାକୁ ମାର୍ଜିତ କରିବାର ମୋର ଦକ୍ଷତା ଅଛି ନା ସ୍ଵୀକାରୋକ୍ତି କରିବାର ସାହସ! ଦୁଇ ବର୍ଷ ତଳେ କରିଥିବା ଛୋଟ ଭୁଲ ଟି ମୋ ଅଜ୍ଞାତ ରେ ଏକ ବଡ଼ ଅପରାଧ ରେ ପରିଣତ ହୋଇଗଲାଣି। ଏବେ କେବଳ ପଶ୍ଚାତାପ ହିଁ ଏକମାତ୍ର ରାସ୍ତା। ଦିନେ ନୁହେଁ, ମାସେ ନୁହେଁ, ବର୍ଷେ ନୁହେଁ, ସାରା ଜୀବନ।

ଅପରାଧର ଭାର ମୋର ମେରୁଦଣ୍ଡକୁ ଭାଙ୍ଗିଦିଏ, କିନ୍ତୁ ପଶ୍ଚାତାପ ଏକ ସଞ୍ଜୀବନୀ ଭଳି କାମ କରେ। ମେରୁଦଣ୍ଡ ଭଙ୍ଗିଗଲା ବୋଲି ମଣିଷ ଚାଲିବା ତ ବନ୍ଦ କରେନି, କିନ୍ତୁ ଗତି ହରାଇଥାଏ। ସେହିପରି ଅପରାଧବୋଧ ମଣିଷକୁ ଜୀବନର ରାସ୍ତାରେ ଧିମା କରିଦିଏ। 

ମିଛୁଆ ରାଧୁଆ ର କାହାଣୀ କିଏ ବା ନ ଜାଣିଛି !  କିନ୍ତୁ ତା ବାପା ଙ୍କ କାହାଣୀ ? ଦିନେ ରାଧୁଆ ଗାଁର ଲୋକମାନଙ୍କୁ ଉଚ୍ଚ ସ୍ୱରରେ ଡାକିଥିଲା — “ବାଘ ଆସିଗଲା ! ବାଘ ଖାଇଦେବ !” ତା ବାପା ଗାଁ ଲୋକଙ୍କୁ ସାଙ୍ଗରେ ଧରି ଦୌଡ଼ି ଆସିଲେ, କିନ୍ତୁ ରାଧୁଆ ହସି ହସି ଗଡ଼ିଗଲା। ଦିନେ ଜଙ୍ଗଲ ରେ ସତ କୁ ସତ ବାଘ ଆସିଗଲା। ସେ ଚିତ୍କାର କଲା— “ବାଘ ଆସିଗଲା ! ବାଘ ଖାଇଦେବ !” ଗାଁ ଲୋକ ମାନେ ସେହି ଡାକ କୁ ଅଣଦେଖା କଲେ। ଆଉ ତା ବାପା ମଧ୍ୟ, ଏହା ଭାବି କି କାଳେ ଏଇଥର ମଧ୍ୟ ସେ ମଜା କରୁଥିବ। କିନ୍ତୁ ସେହି ଦିନ ଜଙ୍ଗଲର ନିଷ୍ଠୁର ସତ୍ୟ, ତା ମିଛ ଉପରେ ଭାରି ପଡ଼ିଲା। ବାଘ ରାଧୁଆ କୁ ଖାଇଦେଲା। ସନ୍ଧ୍ୟାବେଳେ ତା ବାପା ଯେବେ ଜଙ୍ଗଲକୁ ଗଲେ, ତା ରକ୍ତ ଛିଟା ପୋଷାକ ଆଉ ପଞ୍ଜରା ହାଡ କୁ ଦେଖିଲେ। ସେଠାରୁ ସେ ଗାଁକୁ ଫେରିଲେ ମଣିଷ ଭାବେ ନୁହେଁ, ବରଂ ପଶ୍ଚାତାପର ପର୍ବତ ବୋହୁଥିବା ଏକ ଦରଭଙ୍ଗା ପିତା ଭାବେ। ସେ କହିଲେ— “ମୋ ପୁଅ ମିଛ କହିଥିଲା, ସେ ତାର ଦଣ୍ଡ ପାଇଲା। କିନ୍ତୁ ମୁଁ ତା ଡାକ କୁ ଅବହେଳା କରି ଯେଉଁ ଭୁଲ କରିଛି ତାର ଦଣ୍ଡ ସାରା ଜୀବନ ଭୋଗିବି ପଶ୍ଚାତାପ କରି”।

ମିଛୁଆ ରାଧୁଆ ର “ବାଘ ଖାଇ ଦେବ ଡାକ” କୁ ଅବହେଳା କରି ତା ବାପା ଜଙ୍ଗଲ କୁ ସିନା ଗଲେନି, କିନ୍ତୁ ତାଙ୍କ  ମନରେ ଗୋଟିଏ ଅପରାଧବୋଧ ଟି ରହିଗଲା- ଯଦି ଯାଇଥାଆନ୍ତେ ତାହେଲେ ତାଙ୍କ  ପୁଅ ରାଧୁଆ ଟା ବଞ୍ଚିଯାଆନ୍ତା।

✍️ ମହେଶ୍ୱର ପାଳ..

0/Post a Comment/Comments