କୋଦଳା: ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଦଣ୍ଡିଶ୍ୱର ମନ୍ଦିର ପୀଠରେ ରୁଷିକୂଲ୍ଯା ରୟତ ମହାସଭାର ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଧାନକିଣା ସଚେତନତାକୁ ନେଇ ଅନୁଷ୍ଠିତ ଉକ୍ତ ବୈଠକରେ ରୁଷିକୂଲ୍ଯା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକ, ଆବାହକ ବିଜୟ ସ୍ବାଇଁ, କୋଦଳା ଅଞ୍ଚଳର ବହୁ ଚାଷୀ ଉପସ୍ଥିତ ଥିଲେ। ବର୍ତ୍ତମାନ ୫୦ ପ୍ରତିଶତରୁ ଉର୍ଦ୍ଧ୍ବ ଧାନ ଅମଳ ହୋଇ ସାରିଛି। ସରକାର ମଣ୍ଡି ମାଧ୍ୟମରେ କିପରି ସମସ୍ତ ଧାନ କିଣିବେ ସେ ନେଇ ସଚେତନତା କରାଯିବା ସହ ପ୍ରତି ସୋସାଇଟିରେ ଗୋଟିଏ ଗୋଟିଏ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ଚାଷୀଙ୍କର ଧାନ କିଣା ସମସ୍ଯା ଓ ଫସଲ ବୀମା ସମସ୍ଯାର ସମାଧାନ ପାଇଁ କୋଦଳା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୁବ୍ଯବସ୍ଥାକରଣ କରି ମଣ୍ଡି ଖୋଲାଯିବା ଏବଂ ସମସ୍ତ ଧାନ ମଣ୍ଡିରେ କ୍ରୟ କରିବା, ମଣ୍ଡିରେ ଯେପରି ଧାନ ନଷ୍ଟ ନହୁଏ ସେଥିପାଇଁ ବ୍ଯବସ୍ଥା କରିବା, ପ୍ରତି ଗ୍ରାମରେ ୩ ଜଣିଆ ଧାନ କିଣା କମିଟି ଗଠନ, କଟନି ଛଟଣି ବନ୍ଦ କରାଯିବା, ସରକାରୀ ନିୟମ ଅନୁଯାୟୀ ଦୈନିକ ମଣ୍ଡିରେ ୧୦୦୦ କୁଇଣ୍ଟାଲ ଧାନ ସଂଗ୍ରହ କରିବା, ପ୍ରତିବର୍ଷ ଜିଲ୍ଲାରେ ଜାନୁଆରୀ ମାସରୁ ଧାନ କିଣା ଆରମ୍ଭ ହେଉଥିବାରୁ ଏହାର ଅବଧି ଏପ୍ରିଲ୍ ପର୍ଯ୍ୟନ୍ତ ବଢାଇବା, ଚାଷୀଙ୍କ ସହାୟତା ପାଇଁ ବ୍ଲକରେ ଟୋଲ୍ ଫ୍ରି ନମ୍ବର ଜାରି କରିବା, ଫସଲ ବୀମା କରିଥିବା ଚାଷୀ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ ସରକାରୀ ସହାୟତା ତଥା ବୀମା ରାଶି ପ୍ରଦାନ, ଏକର ପିଛା ୨୫ କୁଇଣ୍ଟାଲ ଧାନ କିଣିବା ପାଇଁ ବ୍ଯବସ୍ଥା କରାଯିବା, ତୁରନ୍ତ ଧାନମଣ୍ଡି ଖୋଲି ଧାନ ସଂଗ୍ରହ କରିବା, ଗତ ଡିସେମ୍ବର ୨୦୨୪ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ଆଦି ଦାବି କରିଛି ରୁଷିକୂଲ୍ଯା ରୟତ ମହାସଭା। ଲିକୁ ପ୍ରଧାନ, ରାଜା ରଣା, ଅଜିତ୍ ମୁନୀ, ବସନ୍ତ ଭୂୟାଁ, ନବଘନ ବିଶ୍ୱାଳ, ବଂଶୀଧର ପଳତା, ଅଚ୍ୟୁତ ଜେନା, ଶୁଭ ପ୍ରଧାନ, ଜୋହନ୍ ସ୍ବାଇଁ, ନବ ସ୍ବାଇଁ, ମନୋଜ ସାହୁ, ଭଗବାନ ସାହୁଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।

Post a Comment