ନୂଆବର୍ଷ ପାଇଁ ପ୍ରସ୍ତୁତ ପୁରୀ ପୁଲିସ: ଜଗିବେ ୬୦ ପ୍ଲାଟୁନ୍‌ ଫୋର୍ସ


 ପୁରୀ: ଆସୁଛି ନବବର୍ଷ। ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ୱାଗତ କରିବା ଲାଗି ପ୍ରସ୍ତୁତ ହୋଇଯାଇଛି ପୁରୀ। ସହରର ବିଭିନ୍ନ ହୋଟେଲ, ଲଜ୍‌, ହଲିଡେ ହୋମ୍‌ରେ ଆଉ ଜାଗା ନାହିଁ। ସବୁଠି ଜମିଲାଣି ପର୍ଯ୍ୟଟକଙ୍କ ଗହଳି। ଏଭଳି ଭିଡ଼କୁ ଦେଖି ପୁରୀ ପୋଲିସ ନିଜକୁ ପ୍ରସ୍ତୁତ କରିଦେଇଛି। ଚଳିତ ବର୍ଷ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୬୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ ବୋଲି ଏସ୍‌ପି ପ୍ରତୀକ୍‌ ସିଂ ସୂଚନା ଦେଇଛନ୍ତି। ଏତଦ୍‌ବ୍ୟତୀତ ଟ୍ରାଫିକ୍‌ ପରିଚାଳନା, ଦର୍ଶନ ସୁବିଧା, ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ଆଡିସ୍‌ନାଲ ଏସ୍‌ପି ୧୦ ଜଣ, ୩୩ ଡିଏସ୍‌ପି, ୩୦୦ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ସମେତ ୬୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ। 

ସାଧାରଣତଃ ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖରେ ପୁରୀରେ ପ୍ରବଳ ଭିଡ଼ ହୋଇଥାଏ। ଏ ବର୍ଷ ମଧ୍ୟ ସେହିଭଳି ଭିଡ଼ ହେବା ସମ୍ଭାବନା ରହିଛି। ତେଣୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଟ୍ରାଫିକ୍‌ ପରିଚାଳନା ପାଇଁ ସ୍ୱତନ୍ତ୍ର ପ୍ଲାନ୍‌ କରାଯାଇଛି। ବିଶେଷକରି ଯାନବାହନ ପାର୍କିଂ ଏବଂ ଭିଡ଼ ନିୟନ୍ତ୍ରଣ ଉପରେ ଏଥର ବିଶେଷ ଗୁରୁତ୍ୱ ଦିଆଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ନାୟକ ପ୍ଲାଜା ସମ୍ମୁଖରୁ ସିଂହଦ୍ୱାର ପର୍ଯ୍ୟନ୍ତ ସେଡ୍‌ କରାଯାଇଛି। ସମସ୍ତ ଶ୍ରଦ୍ଧାଳୁ ନାୟକ ପ୍ଲାଜାଠାରୁ ପ୍ରବେଶ କରିବେ। ସେଠାରୁ ଶ୍ରୀମନ୍ଦିର ଆଡ଼କୁ କୌଣସି ବଡ଼ ଗାଡ଼ି ଛଡ଼ାଯିବ ନାହିଁ। ଅତ୍ୟଧିକ ଭିଡ଼ ଯୋଗୁଁ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ଛଡ଼ାଯିବ। ଦଳାଚକଟା ସ୍ଥିତି ଏଡ଼ାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତର ବେଢ଼ା, ନାଟମଣ୍ଡପ ଓ ଜଗମୋହନରେ କୁଇକ୍ ରେସ୍ପନ୍ସ ଦଳ ମୁତୟନ କରାଯିବ। ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସଜାଗ ରହିବେ। ଆମ୍ବୁଲାନ୍ସ ଓ ଡାକ୍ତରୀ ଦଳ ସିଂହଦ୍ବାର ସମ୍ମୁଖରେ ରହିବେ। ମନ୍ଦିର ଚତୁଃପାର୍ଶ୍ବରେ ପୁଲିସ ସହାୟତା କେନ୍ଦ୍ର ଖୋଲାଯିବ। 

ସେହିପରି ନିରାପଦ ସ୍ନାନ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମୋବାଇଲ ସ୍କ୍ୱାଡ୍‌ କରାଯାଇଛି। ଏଥିରେ ପୁଲିସ ଲାଇଫ୍‌ଗାର୍ଡ ଏବଂ ଅଗ୍ନିଶମ କର୍ମଚାରୀ ରହିବେ। ବେଳାଭୂମିରେ ଟୁରିଷ୍ଟ ଏଡ୍‌ପୋଷ୍ଟ କାର୍ଯ୍ୟକ୍ଷମ କରିବ। ଅନ୍ୟପଟରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ, ସୁରକ୍ଷିତ ସମୁଦ୍ର ସ୍ଥାନ, ପାର୍କିଂ, ଶୃଙ୍ଖଳିତ ଦର୍ଶନ ଓ ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିପାରିବେ ତା’ ଉପରେ ଗୁରୁତ୍ୱ ଦିଆଯାଇଛି। ୨୪ ଘଣ୍ଟିଆ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ପୁଲିସ କର୍ମଚାରୀ ମୁତୟନ ରହିବେ। ନୂଆ ବର୍ଷରେ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର।

0/Post a Comment/Comments