ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଥିବା ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ସୌଜନ୍ୟମୂଳକ ସାକ୍ଷାତ ବେଳେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହି ସାକ୍ଷାତ ସମ୍ପର୍କରେ ନବୀନ ନିଜ ଏକ୍ସରେ ଉଲ୍ଲେଖ କରିବା ସହ ଅଖିଳେଶଙ୍କୁ ଭେଟି ଖୁସି ଲାଗିଲା ବୋଲି କହିଛନ୍ତି। ଅନେକ ସମସାମୟିିକ ପ୍ରସଙ୍ଗ ଉପରେ ଉଭୟଙ୍କ ମଧ୍ୟରେ ଏକ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଛି ବୋଲି ନବୀନ କହିବା ସହ ସୌଜନ୍ୟମୂଳକ ସାକ୍ଷାତ ପାଇଁ ଅଖିଳେଶଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ନବୀନ ନିବାସରୁ ଫେରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅଖିଳେଶ ଯାଦବ କହିଛନ୍ତି ଯେ ନବୀନ ପଟ୍ଟନାୟକ ଜଣେ ବରିଷ୍ଠ ନେତା। ଓଡ଼ିଶାର ବିକାଶରେ ନବୀନ ପଟ୍ଟନାୟକ ଓ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ବହୁତ ବଡ଼ ଅବଦାନ ରହିଛି। ବିଶେଷକରି ଗରିବଙ୍କ ସମ୍ମାନ ଓ ଓଡ଼ିଶାର ଉନ୍ନତି ପାଇଁ ସେ ଯେଉଁ ବିକାଶ କରିଛନ୍ତି, ତାହା ସ୍ପଷ୍ଟ ଭାବେ ଦେଖାଯାଉଛି। ସାଧାରଣଲୋକଙ୍କ ଜୀବନଧାରା ବଦଳାଇବା ପାଇଁ ନବୀନ ବାବୁ ଚେଷ୍ଟା କରିଛନ୍ତି। ଲୋକଙ୍କ ଜୀବନଧାରା କିପରି ବଦଳିବ ଓ ସେମାନେ ସମ୍ମାନର ସହ ବଞ୍ଚିବେ, ସେନେଇ ସରକାରରେ ରହି ନବୀନ ପଟ୍ଟନାୟକ କାର୍ଯ୍ୟ କରିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ରହିଥିଲା। ମୋ ପିତା ନବୀନ ବାବୁଙ୍କ ପିତାଙ୍କ ସହ ମିଶି କାମ କରିଛନ୍ତି। ଆଜି ଆମେ ଦୁଇ ଜଣ ବିଜେପି ବିରୋଧରେ ଲଢେ଼ଇ କରୁଛୁ।

Post a Comment