ମଠବ୍ରହ୍ମପୁର ସତ୍ୟଧାମରେ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

କୋଦଳା: ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠବ୍ରହ୍ମପୁର ଗୁରୁଜୀ ଛକ ସ୍ଥିତ ସତ୍ୟଧାମରେ ଭକ୍ତିମୟ ଓ ଶାନ୍ତିମୟ ପରିବେଶରେ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ସଫଳତାର ସହ ଆୟୋଜିତ ହୋଇଛି। ଏହି ପବିତ୍ର ଯଜ୍ଞରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଭାଗ ନେଇଥିଲେ। ଯଜ୍ଞ ଅବସରରେ ପାଞ୍ଚଟି ପବିତ୍ର ଯଜ୍ଞକୁଣ୍ଡ ସ୍ଥାପନ କରାଯାଇ ବେଦମନ୍ତ୍ର, ଗାୟତ୍ରୀ ମନ୍ତ୍ର ଓ ଶାନ୍ତିମନ୍ତ୍ରର ନିରନ୍ତର ଉଚ୍ଚାରଣ ସହ ଆହୁତି ପ୍ରଦାନ କରାଯାଇଥିଲା।

ଗୁରୁବାର ଦିନ ଯଜ୍ଞର ଶୁଭାରମ୍ଭ ହୋଇ ସିଦ୍ଧେଶ୍ୱର ପୋଖରୀରୁ ୧୦୮ ଜଣ ମା’ ଓ ଭଉଣୀ କଳସ ଧରି ଗ୍ରାମ ପରିକ୍ରମା କରି ଯଜ୍ଞସ୍ଥଳକୁ ପାଣି ଆଣିଥିଲେ। ଚାରିଦିନ ଧରି ଏହା ଚାଲିଥିବା ବେଳେ ପ୍ରବଚନ, ହୋମଯଜ୍ଞ, ଜପଯଜ୍ଞ, ଦୀପଯଜ୍ଞ ଓ ବିଭିନ୍ନ ସଂସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଗାୟତ୍ରୀ ପୀଠର ପଣ୍ଡିତ ଭାସ୍କରଜୀ ଓ ତାଙ୍କ ସହଯୋଗୀମାନଙ୍କ ତତ୍ତ୍ୱାବଧାନରେ ଯଜ୍ଞ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ବିଭିନ୍ନ ଗ୍ରାମରୁ ଆସିଥିବା ଶ୍ରଦ୍ଧାଳୁମାନେ ଯଜ୍ଞରେ ଆହୁତି ପ୍ରଦାନ କରିଥିଲେ। ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ସନ୍ଧ୍ୟାବେଳେ ମହିଳା ସଂକୀର୍ତନ ମଣ୍ଡଳୀ ଦ୍ୱାରା ହରେକୃଷ୍ଣ ନାମ ସଂକୀର୍ତନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ହରିଦ୍ୱାର ଶାନ୍ତିକୁଞ୍ଜ ଢାଞ୍ଚାରେ ଓ ମଠବ୍ରହ୍ମପୁର ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ହୋଇଥିଲା। ଯଜ୍ଞର ମୂଳ ଉଦ୍ଦେଶ୍ୟ ବିଶ୍ୱଶାନ୍ତି, ସାମାଜିକ ଏକତା, ପରିବେଶ ସୁରକ୍ଷା ଓ ମାନବ ଜୀବନରେ ସଦ୍ଭାବନାର ବିକାଶ ବୋଲି ଆୟୋଜକମାନେ କହିଥିଲେ।

0/Post a Comment/Comments