ଶ୍ରୀଜଗନ୍ନାଥଙ୍କ ନାଁରେ ସରକାର କରିବେ ଟିଭି ଚ୍ୟାନେଲ, ମହାପ୍ରଭୁଙ୍କ ଜମିର ହେବ ସୁବନ୍ଦୋବସ୍ତ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଏକ ସ୍ୱତନ୍ତ୍ର ଟିଭି ଚ୍ୟାନେଲ କରିବେ ରାଜ୍ୟ ସରକାର।ଏଥିପାଇଁ ସରକାରୀସ୍ତରରେ ପ୍ରାରମ୍ଭିକ ଆଲୋଚନା ହୋଇଛି। ଶ୍ରୀଜଗନ୍ନାଥଙ୍କ ଜମି ବନ୍ଦୋବସ୍ତ ସମସ୍ୟାର ସମାଧାନ ଓ ଏକ ସ୍ୱତନ୍ତ୍ର ଜଗନ୍ନାଥ ଟିଭି ଚ୍ୟାନେଲ ପ୍ରତିଷ୍ଠା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଏହି ପ୍ରସ୍ତାବିତ ନୂଆ ଚ୍ୟାନେଲର ରୂପରେଖ, ଦୈନିକ କାର୍ଯ୍ୟକ୍ରମ, ଜଗନ୍ନାଥ ସଂସ୍କୃତିର ପରିବ୍ୟାପ୍ତି, ଭକ୍ତଙ୍କ ମନରେ ଜଗନ୍ନାଥଙ୍କୁ ନେଇ ଥିବା ଭାବନାର ପରିପ୍ରକାଶ ଆଦି ପ୍ରସଙ୍ଗରେ ଆଜି ପ୍ରାରମ୍ଭିକସ୍ତରରେ ଆଲୋଚନା ହୋଇଛି। ରାଜ୍ୟ(Odisha) ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ଚ୍ୟାନେଲ ତିଆରିକୁ ନେଇ ଆଜିର ଆଲୋଚନା ବେଶ୍ ସକରାତ୍ମକ ହୋଇଥିବା ମନ୍ତ୍ରୀ ନିଜେ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଜଗନ୍ନାଥ ସଂସ୍କୃତିକୁ ନେଇ ସାରା ବିଶ୍ୱବାସୀଙ୍କୁ ଅବଗତ କରାଇବା, ଜଗନ୍ନାଥ ସଂସ୍କୃତି ଉପରେ ଅଧିକ ଗବେଷଣା, ଜଗନ୍ନାଥଙ୍କ ମହିମା ଓ ଭାବାବେଗ ନେଇ ଭକ୍ତଙ୍କ ଅନୁଭୂତିକୁ ସମସ୍ତଙ୍କ ନିକଟରେ ପହଂଚାଇବା ନେଇ ଆସିଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର ଅତି ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି। 

ପରେ ଏହା ଉପରେ ଅଧିକ ଆଲୋଚନା କରାଯିବା ସହ ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀଙ୍କ ସମେତ ଆଇନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅବଶ୍ୟ ମହାପ୍ରଭୁଙ୍କ ଗୁଣକୀର୍ତ୍ତନ ଓ ମହିମା ପ୍ରଚାର ନିମନ୍ତେ ସ୍ୱତନ୍ତ୍ର ଭାବେ ଘରୋଇ ଚ୍ୟାନେଲ ରହିଛି। 

ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ହଜାର ହଜାର ଏକର ଜମିର ସୁବନ୍ଦୋବସ୍ତ ନେଇ ବ୍ୟାପକ ରୂପରେଖ ପ୍ରସ୍ତୁତ କରାଯାଇଛି। ମହାପ୍ରଭୁଙ୍କ ଅନେକ ଜମିରେ ସେବାୟତ, ନିଯୋଗ ଓ ଅଣସେବାୟତମାନେ ବର୍ଷବର୍ଷ ଧରି ବସତି ସ୍ଥାପନ କରି ରହିଆସୁଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୨୦୦୩ ମସିହାର ୟୁନିଫର୍ମ ସେଟେଲମେଣ୍ଟ ପଲିସିରେ ଆବଶ୍ୟକ ସଂଶୋଧନ କରିବାକୁ ନିଷ୍ପତ୍ତି ହୋଇଛି। 

ଏହି ନୂଆ ବ୍ୟବସ୍ଥା ଅଧୀନରେ ଦୀର୍ଘଦିନରୁ ବସବାସ କରୁଥିବା ଲୋକଙ୍କୁ ସଠିକ ଭାବେ ଥଇଥାନ କରାଯିବ। ଅନ୍ୟପଟେ ଯେଉଁ ସ୍ଥାନଗୁଡ଼ିକରେ ମହାପ୍ରଭୁଙ୍କ ଜମିକୁ ଅସଦ ଉପାୟରେ ଜବରଦଖଲ କରାଯାଇଛି, ସେଠାରେ ତଦନ୍ତ କରାଯିବ ଓ ଆବଶ୍ୟକ ସ୍ଥଳେ ନିଲାମ ପ୍ରକ୍ରିୟା ମାଧ୍ୟମରେ ସର୍ବାଧିକ ମୂଲ୍ୟ ଆଦାୟ କରାଯାଇ ସେହି ଅର୍ଥକୁ ଶ୍ରୀମନ୍ଦିର ପାଣ୍ଠିରେ ଜମା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି।

ଏହି ଆଲୋଚନାରେ ଲ’ କମିଶନର ଜଷ୍ଟିସ ବିଶ୍ୱନାଥ ରଥ, ପୂର୍ବତନ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ମିଶ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ପାଢ଼ୀ ଓ ଆଇନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

0/Post a Comment/Comments