ଭଞ୍ଜନଗର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ଘଟଣାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁଲିସ ଆଜି ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ବିଡ଼ିପୁର ଗାଁର ଶତ୍ରୁଘ୍ନ ସ୍ୱାଇଁ ଓ ଅନୀଲ ନାଇକ, ସୋରିଷମୂଳି ଗାଁର ରାଜେନ୍ଦ୍ର ନାୟକ, ବାରୁଡ଼ା ଗାଁର ଲିଟୁ ସାମନ୍ତରା ଓ ଅନୁଗୋଳ ଜିଲାର ରିତେଶ ସିଂ। ଗତ କିଛି ବର୍ଷ ହେଲା ରିତେଶ ବାରୁଡ଼ାରେ ରହୁଥିବା ଜଣାପଡ଼ିଛି।
ଅଭିଯୁକ୍ତମାନଙ୍କ ନିକଟରୁ ପୁଲିସ ଦୁଇଟି ପିସ୍ତଲ, ତିନୋଟି ଗୁଳି, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ୍ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଗତ ୯ ତାରିଖ ଦିନ ପ୍ରାୟ ୧୨ଟା ବେଳେ ଏହି ପାଞ୍ଚ ଜଣ ଅଭିଯୁକ୍ତ ମିଶି ବାରୁଡ଼ା ଗାଁର ସୁଶାନ୍ତ କୁମାର ସାହୁଙ୍କୁ ବନ୍ଧୁକ ଦେଖାଇ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହା ସହ ତାଙ୍କ ଭାଉଜ ଓ ଭାଣିଜୀଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଅପହରଣ କରି ଜୀବନରେ ମାରିଦେବାକୁ ସର୍ବସାଧାରଣରେ ଧମକ ଦେଇଥିଲେ।
ଏନେଇ ସୁଶାନ୍ତଙ୍କ ଭାଉଜ ସାବିତ୍ରୀ ସାହୁ ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଭଞ୍ଜନଗର ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Post a Comment