ଭାରତୀୟ କ୍ରିକେଟ ଟିମରେ ରାହୁଲ ଡ୍ରାଭିଡ୍‌ଙ୍କ ପୁଅ


 ଭାରତୀୟ ଜାତୀୟ କ୍ରିକେଟ ଟିମର ପୂର୍ବତନ କୋଚ ତଥା କ୍ୟାପ୍ଟେନ ରାହୁଲ ଡ୍ରାଭିଡଙ୍କ ପାଇଁ ଖୁସି ଖବର। ତାଙ୍କ ସାନ ପୁଅ ଅନଭୟ ଡ୍ରାଭିଡଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଟିମରେ ସୁଯୋଗ ମିଳିଛି।

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଘୋଷଣା ହୋଇଥିବା ଅଣ୍ଡର ୧୯ ଭାରତୀୟ ଟିମରେ ଅନଭୟ ସ୍ଥାନ ପାଇଛନ୍ତି। ଏସ୍‌ ଶରତଙ୍କ ନେତୃତ୍ୱାଧୀନ ବିସିସିଆଇର ଜୁନିୟର କ୍ରିକେଟ କମିଟି ଜୁଲାଇ ୪ରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଦିନିକିଆ ଓ ୨ଟିକିଆ ବହୁ ଦିବସୀୟ ସିରିଜ ପାଇଁ ସ୍କ୍ୱାଡ ଘୋଷଣା କରିଛି।

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ଅନଭୟ ୱିକେଟ କିପର ଭାବେ ସ୍ଥାନ ପାଇଛନ୍ତି। ତାଙ୍କ ସହ ରାଜତ ବାଘେଲଙ୍କୁ ମଧ୍ୟ ୱିକେଟ କିପର ଭାବେ ସ୍କ୍ୱାଡରେ ରଖାଯାଇଛି। କିନ୍ତୁ ବହୁ ଦିବସୀୟ ସିରିଜରେ ଅନଭୟଙ୍କୁ ରଖାଯାଇନି। ମାନବ କ୍ରିଷ୍ଣା ଓ ଆର୍ଯ୍ୟନ ସନ୍ଦେଶ ସକପାଲ ବହୁ ଦିବସ ସିରିଜରେ ୱିକେଟ କିପର ଭୂମିକାରେ ରହିବେ। 

କର୍ଣ୍ଣାଟକାର ଅନଭୟ ବୟସ ବର୍ଗ କ୍ରିକେଟରେ ନିଜର ଛାପ ଛାଡ଼ିବାକୁ ସକ୍ଷମ ହୋଇଛନ୍ତି। ଗତବର୍ଷ ଭିନୁ ମଙ୍କଡ ଟ୍ରଫିରେ ଅନଭୟଙ୍କ ନେତୃତ୍ୱରେ କର୍ଣ୍ଣାଟକା କ୍ୱାର୍ଟର ଫାଇନାଲ ଯାଇଥିଲା। ଅନଭୟ ମଧ୍ୟ ବ୍ୟାଟିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ୬ଟି ମ୍ୟାଚ୍‌ରେ ସେ ୨୨୦ ରନ କରିବାକୁ ସକ୍ଷମ ହୋଇଥିଲେ। ଏହା ମଧ୍ୟରେ ଦୁଇଟି ଅର୍ଦ୍ଧଶତକ ରହିଥିଲା। ଏହି ପ୍ରଦର୍ଶନ ଆଧାରରେ ତାଙ୍କୁ ଏବେ ଭାରତୀୟ ଅଣ୍ଡର ୧୯ ଟିମରେ ସୁଯୋଗ ମିଳିଛି। 

ଅନଭୟଙ୍କ ପୂର୍ବରୁ ୨୦୨୪ରେ ତାଙ୍କ ବଡ଼ ଭାଇ ସମିତ ମଧ୍ୟ ଭାରତୀୟ ଅଣ୍ଡର ୧୯ ଟିମରେ ସୁଯୋଗ ପାଇଥିଲେ। ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଚୟନ କରାଯାଇଥିଲା। ୨ ବର୍ଷ ପରେ ସମିତଙ୍କ ସାନ ଭାଇ ଅନଭୟ ମଧ୍ୟ ଭାରତୀୟ ଅଣ୍ଡର ୧୯ ଟିମରେ ସାମିଲ ହୋଇଛନ୍ତି। 

ଏହି ଟିମର ନେତୃତ୍ୱ ଯଶବର୍ଦ୍ଧନ ସିଂହ ଚୌହାନ ନେବେ। ଉଭୟ ଦିନିକିଆ ଓ ବହୁ ଦିବସ ମ୍ୟାଚ୍‌ରେ ଭାରତୀୟ ଅଣ୍ଡର ୧୯ ଟିମର କମାଣ ତାଙ୍କୁ ଦିଆଯାଇଛି। ଦୁଇଟି ଯାକ ଫର୍ମାଟରେ ଲକ୍ଷ୍ୟ ରାୟଚନ୍ଦାନିଙ୍କୁ ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।  

0/Post a Comment/Comments