କୋଲକାତା :ପଶ୍ଚିମବଙ୍ଗର କୋଲକାତାରେ ଥିବା ଗୋଟିଏ ସରକାରୀ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ। ବିଲଡିଂର ୮ମ ଓ ୯ମ ମହଲା ଅଗ୍ନିକାଣ୍ତରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଥିବା ପ୍ରାୟ ୪ ହଜାର ଇଭିଏ ଅଗ୍ନିକାଣ୍ଡ ଯୋଗୁ ପୂରା ଧ୍ୱଂସ ହୋଇଯାଇଛି।
ନିକଟରେ ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନ ଶେଷ ହୋଇଥିଲା। ବେଙ୍ଗଲର ୧୦ଟି ନିର୍ବାଚନ ମଣ୍ଡଳୀରେ ବ୍ୟବହୃତ ଇଭିଏକୁ ଏହି ବିଲଡିଂରେ ରଖାଯାଇଥିଲା। ଅଗ୍ନିକାଣ୍ଡ ଯୋଗୁ ସେଗୁଡ଼ିକ ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି।
ବେଙ୍ଗଲର ଅଗ୍ନିଶମ ବିଭାଗ ମନ୍ତ୍ରୀ କୌଶିକ ଚୌଧୁରୀ କହିଛନ୍ତି ଯେ “ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଗ୍ନିକାଣ୍ଡ ବିଲଡିଂର ତୃତୀୟ କିମ୍ବା ୪ର୍ଥ ମହଲାରେ ଘଟିଥିଲା। କିନ୍ତୁ ହଠାତ୍ ଏହା ବିଲଡିଂର ୮ମ ଓ ୯ମ ମହଲାରେ ପହଞ୍ଚି ଯାଇଥିଲା। ୮ମ ଓ ୯ମ ମହଲା ପୂରା ନଷ୍ଟ ହୋଇଯାଇଛି। ହେଲେ ବିଲଡିଂର ୬ଷ୍ଠ, ୭ମ ଓ ୮ମ ମହଲା ସଂପୂର୍ଣ୍ଣ ସୁରକ୍ଷିତ ରହିଛି। ନିଆଁ ଏହି ୩ ମହଲାକୁ ଡେଇଁ କେମିତି କେବଳ ୮ମ ଓ ୯ମ ଫ୍ଲୋରକୁ କ୍ଷତି ପହଞ୍ଚାଇଲା, ସେକଥା ଆମେ ଭାବୁଛୁ।”
କୋଲକାତାର ଅଲୀପୂର ଅଞ୍ଚଳରେ ଦକ୍ଷିଣ ୨୪ ପ୍ରଗଣାର ୧୦ ମହଲା ବିଶିଷ୍ଟ ଜିଲ୍ଲା ପରିଷଦ ବିଲଡିଂ ରହିଛି। ସେଠାରେ ସକାଳ ୯.୫୦ରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ପୁଲିସ୍ ଟିମ ସହ ୧୦ଟି ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ବିଲଡିଂର ୮ମ ଓ ୯ମ ମହଲାରେ ଥିବା ପ୍ରାୟ ୪ ହଜାର ଇଭିଏମ ଏବଂ କାଗଜପତ୍ର ଧ୍ୱଂସ ହୋଇ ସାରିଥିଲା।
ଅଧିକାରୀଙ୍କ କହିବା କଥା ଯେ ଉକ୍ତ ବିଲଡିଂରେ ଏକାଧିକ ସରକାରୀ ବିଭାଗର ଅଫିସ ରହିଛି। ଗିରଫ ହୋଇଥିବା ଟିଏମସି ନେତା ଜାହାଙ୍ଗୀର ଖାନଙ୍କ ଅଫିସ ମଧ୍ୟ ସେହି ବିଲଡିଂରେ ରହିଥିଲା।
ଜାହାଙ୍ଗୀର ଖାନ ଜିଲ୍ଲା ପରିଷଦର କର୍ମଦକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଜିଲ୍ଲା ପରିଷଦକୁ ଟିଏମସି ଦ୍ୱାରା ପରିଚାଳିତ ହେଉଥିଲା ଓ ଦକ୍ଷିଣ ୨୪ ପ୍ରଗଣା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଗଡ଼ ଭାବେ ପରିଚିତ।
ବିଜେପି କ୍ଷମତାକୁ ଆସିବା ପରେ କୌଶିକ ଚୌଧୁରୀ ବେଙ୍ଗଲର ମନ୍ତ୍ରୀ ହୋଇଛନ୍ତି। ସେ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେ କହିଛନ୍ତି, “ଅଗ୍ନିକାଣ୍ଡ ଯୋଗୁ ଏକାଧିକ ସରକାରୀ ଅଫିସ ସମେତ ୪ ହଜାର ଇଭିଏମ ନଷ୍ଟ ହୋଇଛି। ଇଭିଏମ ଓ ସରକାରୀ ଅଫିସ ଗୁଡ଼ିକ ୮ମ ଓ ୯ମ ମହଲାରେ ରହିଥିଲା। ସେଠାରେ ପ୍ରାୟ ୧୦ଟି ନିର୍ବାଚନ ମଣ୍ଡଳୀରେ ବ୍ୟବହୃତ ଇଭିଏମକୁ ରଖାଯାଇଥିଲା।
ଏହି ଘଟଣାରେ ଗୋଟିଏ ଏଫଆଇଆର ହୋଇଛି ଓ ତଦନ୍ତ ଆରମ୍ଭ କରାଯାଇଛି। ଫରେନ୍ସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। ବିଲଡିଂ ଏବେ ଉତ୍ତପ୍ତ ରହିଛି। ସେମାନେ କ୍ଷତିଗ୍ରସ୍ତ ହୋଇଥିବା ମହଲାରେ ପ୍ରବେଶ କରିବାକୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।”

Post a Comment