ଚମାଖଣ୍ଡିରେ ‘ସ୍ପାର୍କ-୨୦୨୬’, ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର

 

ଚମାଖଣ୍ଡିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ସମାରୋହ ‘ସ୍ପାର୍କ-୨୦୨୬’ ଅନୁଷ୍ଠିତ ହୋଇଛି। ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଶିକ୍ଷା କେବଳ ପାଠପଢ଼ା ମଧ୍ୟରେ ସୀମିତ ନୁହେଁ, ଏହା ଛାତ୍ରଛାତ୍ରୀଙ୍କୁ ଜଣେ ଭଲ ମଣିଷ ଭାବେ ଗଢ଼ି ତୋଳିବାର ମାଧ୍ୟମ ବୋଲି ବିଧାୟକ କହିଥିଲେ। ଭଲ ପାଠ ପଢ଼ିବା ସହ ସମାଜକୁ ସକାରାତ୍ମକ ବାର୍ତ୍ତା ଦେବା ଏବଂ ଶିକ୍ଷା ସହ ଖେଳକୁଦକୁ ମଧ୍ୟ ସମାନ ଗୁରୁତ୍ୱ ଦେବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।

ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ, ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ସହ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ। ଜୀବନରେ ଯେତେ ବଡ଼ ସଫଳତା ମିଳିଲେ ମଧ୍ୟ ନିଜ ଗାଁ, ମାଟି, ଜିଲ୍ଲା ଓ ନିଜ ପରିଚୟକୁ କେବେ ଭୁଲିବା ଉଚିତ ନୁହେଁ ବୋଲି ସେ କହିଥିଲେ।

ଏକଲବ୍ୟଙ୍କ ଉଦାହରଣ ଦେଇ ନିରନ୍ତର ପରିଶ୍ରମ ଓ ଅଧ୍ୟବସାୟ ଦ୍ୱାରା ଜୀବନରେ ସଫଳତା ହାସଲ କରିହେବ ବୋଲି ଜିଲ୍ଲାପାଳ କହିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଡ଼ଃ ପ୍ରଭାତୀ ମହାପାତ୍ର, ନୋଡାଲ ପ୍ରିନସିପାଲ ସିଏଚ୍‌ ହେମନ୍ତ କୁମାର ଏବଂ ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟର ପ୍ରିନସିପାଲ ପ୍ରମୋଦ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ। ଶିକ୍ଷୟିତ୍ରୀ ମୋନାଲିସା ସୁନା ଓ ସୁମୀତା କୁମାରୀ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ପ୍ରିନସିପାଲ ପ୍ରମୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

0/Post a Comment/Comments